ଜିଲ୍ଲା ସମ୍ବନ୍ଧରେ

ଓଡିଶାର ଭୌଗୋଳିକ ଓ ରାଜନୈତିକ ମାନଚିତ୍ରର ମଧ୍ୟଭାଗରେ ଆମ ଢେଙ୍କାନାଳ ଜିଲ୍ଲା ଅବସ୍ଥିତ । ପ୍ରାକୃତିକ ସୌନ୍ଦର୍ଜ୍ୟଭରା ବନ୍ୟପ୍ରାଣୀ ଓ ଘଞ୍ଚ ଅରଣ୍ୟରେ ଭରପୁର ଏ ଜିଲ୍ଲା ଯାହା କଟକ ସମ୍ବଲପୁର ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ଏବଂ ବାରଙ୍ଗ ସମ୍ବଲପୁର ଓ ବାରଙ୍ଗ ସମ୍ବଲପୁର ରେଳପଥ ପାର୍ଶ୍ଵଦେଇଯାଇଛି। ଜିଲ୍ଲାର ଉତ୍ତର ଦିଗକୁ କେନ୍ଦୁଝର ଜିଲ୍ଲା ଲାଗିଛି। ଦକ୍ଷିଣରେ କଟକ ଜିଲ୍ଲା, ପୂର୍ବରେ ଯାଜପୁର ଜିଲ୍ଲା ଓ ପଶ୍ଚିମରେ ଅନଗୁଳ ଜିଲ୍ଲା ଅବସ୍ଥିତ ।ସାଧାରଣରେ ବିଶ୍ବାସ କରାଯାଏ ଯେ ଢେଙ୍କାନାଳ ଜିଲ୍ଲାର ନାମକରଣ ଶବର ରାଜା ‘ଢେଙ୍କା’ ନାମରେ ନାମିତ ହୋଇଅଛି ଯିଏକି ପୂର୍ବରୁ ଏହି କ୍ଷେତ୍ରକୁ ଶାସନ କରୁଥିଲେ ।୪୯୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ସୀମାକୁ ଆଧାର କରି ଢେଙ୍କାନାଳ ଜିଲ୍ଲାର ସର୍ବାଧିକ ଜମି ଘଞ୍ଚ ଜଙ୍ଗଲ ଓ ପାହାଡ ପର୍ବତ ଘେରା ଅଟେ। ହାତୀମାନଙ୍କ ପାଇଁ ଏହା ଭୂସ୍ଵର୍ଗ ହୋଇଥିବା ବେଳେ ବାଘ ପରି ଅନ୍ୟ ବନ୍ୟଜନ୍ତୁ ମଧ୍ୟ ଜିଲ୍ଲାର ଜଙ୍ଗଲମାନଙ୍କରେ ଦେଖା ଯାଇଥାନ୍ତି। ଜିଲ୍ଲା ୮୫ ଡିଗ୍ରୀ ୫୮ ମିନିଟ ପୂର୍ବରୁ ୮୬ ଡିଗ୍ରୀ ୨ ମିନିଟ ପୂର୍ବ-ଦାଘ୍ରିମା ଏବଂ ୨୦ ଡିଗ୍ରୀ ୨୯ ମିନିଟ ଉତ୍ତରକୁ ୨୧ ଡିଗ୍ରୀ ୧୧ ମିନିଟ ଉତ୍ତର ଦ୍ରାଘିମାରେ ଅବସ୍ଥିତ ।

ଜିଲ୍ଲାର ଜଳବାୟୂ ମଧ୍ୟମ ଧରଣର ହୋଇଥିବାବେଳେ ମୂଖ୍ୟତଃ ଅପ୍ରେଲ ଏବଂ ମଇ ମାସରେ ସର୍ବାଧିକ ଉତ୍ତାପ ବୃଦ୍ଧି ପାଇଥାଏ। ସେହିପରି ଡିସେମ୍ବର ଏବଂଜାନୁୟାରୀ ମାସରେ ଥଣ୍ଡା ଅନୁଭୂତ ହୋଇଥାଏ। ଅନ୍ୟ ପକ୍ଷରେଜୁନ ମାସ ପ୍ରାରମ୍ଭରେ ବର୍ଷା ଋତୁର ଆଗମନ ହୋଇଥାଏ। ପାଣିପାଗ ବିଭାଗସୂଚନା ଅନୁଯାଇ ଜିଲ୍ଲାରେ ୧୪୨୧.୧୦ମିଲିମିଟର ସାଧାରଣତଃ ବର୍ଷା ହୋଇଥାଏ। ଧାନ, ଚିନାବାଦାମ, କାଜୁ, ଆମ୍ବ, ପଣସ, ଆଖୁ, ଆଳୁ ଏବଂଅନ୍ଯାନ୍ଯ ପନିପରିବାଆଦି ଚାଷ ହେବାସହ, ଉତ୍ପାଦନ ହୋଇ ଜିଲ୍ଲା ଏବଂ ଜିଲ୍ଲା ବାହାରକୁ ରପ୍ତାନୀ ହୋଇଥାଏ।
ସ୍ଵାଧୀନତା ଆନ୍ଦୋଳନ କ୍ଷେତ୍ରରେ ସର୍ବ କନିଷ୍ଠ ଶହୀଦ ବାଜିରାଉତ ଏବଂ ବୈଷ୍ଣବ ପରିଡା, ମୂଷା ମଳିକଙ୍କ ପରି ଅନେକ ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସମାଜ ସେବୀ ସାରଙ୍ଗଧର ଦାସ ତଥା ଗଦ୍ୟ ଶ୍ରଷ୍ଟା ବ୍ରଜନାଥ ବଡଜେନା, ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନଳିନୀ ଶତପଥୀ, ପ୍ରଥମ ମହିଳା ଏଭରେଷ୍ଟ ଆରୋହିଣୀ ସୁଶ୍ରୀ କଲ୍ପନା ଦାସ ଆଦି ଅନେକବ୍ୟକ୍ତି ବିଶେଷ ଜିଲ୍ଲାକୁ ଗୌରବାନ୍ଵିତ କରିଛନ୍ତି।

ଯାତ୍ରା, ମେଳା, ପୂଜା ପାର୍ବଣ ପାଇଁ ଢେଙ୍କାନାଳ ଜିଲ୍ଲାର ସ୍ଵତନ୍ତ୍ର ପରିଚୟ ରହିଛି। ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, କପିଳାସର ଜାଗରଯାତ୍ରା, ଯୋରନ୍ଦା ମହିମା ଧର୍ମର ମାଘ ମେଳା, ସପ୍ତଶଯ୍ୟାର ରାମନବମୀ, ନାଧରା ରାମଚଣ୍ଡୀଙ୍କ ମକରଯାତ୍ରା, ଆଦି ଅନେକ ଯାନୀ ଯାତ୍ରା ଓ ପୂଜା ପାର୍ବଣ ଜିଲ୍ଲାର ସାମାଜିକ ଏବଂସାଂସ୍କୃତିକ ଜୀବନକୁ ପ୍ରଭାବିତ କରିଆସିଛି। କାମାକ୍ଷା ନଗରର ଦଶହରା ଏବଂଭୁବନର ବଳଦଯାତ୍ରା ମଧ୍ୟ ଜିଲ୍ଲାର ଅନ୍ଯତମ ଆକର୍ଷନିୟ ସଂସ୍କୃତିର ବାହକ ଅଟେ।

ଶବର ରାଜା ଦ୍ଵାରା ଶାସିତହୋଇଥିବା ଏବଂଶବର ରାଜା ଢେଙ୍କାଙ୍କର ନାମାନୁସାରେ ଢେଙ୍କାନାଳ ନାମିତହୋଇଛି। ଯାହାକି ଜିଲ୍ଲାର ମାନ୍ୟତା ଲାଭ ପରେ ଢେଙ୍କାନାଳ ସହରରେ ଜିଲ୍ଲା ମୁଖ୍ୟ ପ୍ରଶାସନିକ କାର୍ଯ୍ୟ।ଳୟ ବା ଜିଲ୍ଲା କଲେକ୍ଟୋରୀ ଅବସ୍ଥିତ। ଜିଲ୍ଲାରେ ତିନୋଟି ଉପଖଣ୍ଡ, ଆଠଟି ତହସିଲ ଏବଂ ଆଠଟି ବ୍ଲକ ରହିଅଛି, ତାମଧ୍ୟରେ ୨୧୨ଗୋଟି ଗ୍ରାମପଞ୍ଚାୟତ, ୧୨୩୭ଗୋଟି ଗ୍ରାମ, ୩ଗୋଟି ବିଜ୍ଞାପିତ ଅଞ୍ଚଳ, ଗୋଟିଏ ମୁନିସପାଲଟି, ୧୫ଟି ପୁଲିସ ଷ୍ଟେସନ କାର୍ଯ୍ୟକରୁଅଛି। ୨୦୧୧ ଜନଗଣନା ଅନୁଯାଇ ଜିଲ୍ଲାରେ ୧୧, ୯୨,୯୪୮(ଏଗାର ଲକ୍ଷ ବୟାନବେ ହଜାର ନଅ ଶହ ଆଡଚାଳିଶି) ଲୋକ ବସବାସ କରୁଥିବା ବେଳେସେଥିରୁ ୬, ୧୨, ୫୯୭ (ଛଅ ଲକ୍ଷ ବାର ହଜାର ପାଞ୍ଚ ଶହ ସତାନବେ) ଜଣ ପୁରୁଷ ଏବଂ୫,୦୦,୩୫୧ (ପାଞ୍ଚ ଲକ୍ଷ ତିନି ଶହ ଏକାବନ) ଜଣ ମହିଳା ରହିଥିବାର ଜଣାପଡେ।

ଢେଙ୍କାନାଳ ଜିଲ୍ଲାରେ ଶତକଡା ୭୯.୪୧ ପ୍ରତିଶତଶିକ୍ଷିତରହିଥିବାବେଳେ, ସେମାନଙ୍କ ମଧ୍ୟରେ ୪ଲକ୍ଷ ୭୧ହଜାର ୬୮୧ ଜଣ ପୁରୁଷଏବଂ ୩ଲକ୍ଷ ୭୦ହଜାର ୩୦୭ ଜଣମହିଳା ସ୍ଵାକ୍ଷର ଅଟନ୍ତି।

ଶିକ୍ଷା କ୍ଷେତ୍ରରେ ମଧ୍ୟ ଜିଲ୍ଲାର ସ୍ଵତନ୍ତ୍ରତା ରହିଅଛି। ଆଇ.ଆଇ.ଏମ.ସି (ଭାରତୀୟ ଜଣ ସଂଚାର ସଂସ୍ଥାନ), ଯାହାକି ଦେଶ ଓ ଦେଶ ବାହାରେ ଜିଲ୍ଲାକୁ ଗୌରବାନ୍ଵିତ କରୁଅଛି। ସେହିପରି ଢେଙ୍କାନାଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ, କନିଷ୍ଠ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଆଇନ ମହାବିଦ୍ୟାଳୟ, ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ ସରାଙ୍ଗ, କେନ୍ଦ୍ରୀୟ ବିଦ୍ୟାଳୟ , ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ତାଲିମ କେନ୍ଦ୍ର ପ୍ରମୁଖ ଶିକ୍ଷାନୁଷ୍ଠାନ ଜିଲ୍ଲାର ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିଛନ୍ତି।

ବୈଷୟିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ଢେଙ୍କାନାଳ ଜିଲ୍ଲା ବହୁ ଆଗରେ ଅଛି। ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷା କ୍ଷେତ୍ର (ଆଇ.ଜି.ଆଇ.ଟି) ସରାଙ୍ଗ, ସରକାରୀ ବହୁ ଧନ୍ଦାମୂଳକ ବୈଷୟିକ ଶିକ୍ଷା ସଂସ୍ଥା, ପଲିଟେକନ୍ନୋଲୋଜି, ସରକାରୀ ଆଇ.ଟି.ଆଇ, ସିନ୍ନର୍ଜୀ ଇଂଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ଓଡିଶା ଇଂଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି, ପଠାଣି ସାମନ୍ତ ଇଂଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଆଦି ଅନେକ ଅନୁଷ୍ଠାନ ରହିଅଛି।

ଢେଙ୍କାନାଳ ଜିଲ୍ଲାରେ ୧୯୭୮ ମସିହାରୁ ଶିଳ୍ପକୁ ପ୍ରୋଚ୍ଛାହନ ଏବଂ ବିକାଶ ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର ଆରମ୍ଭ ହୋଇଥିଲା। ତା ୩୧.୧୨.୧୯୯୯ରିଖ ମସିହାରୁ ଢେଙ୍କାନାଳ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ବିଭକ୍ତହୋଇ ସ୍ଵତନ୍ତ୍ର ଜିଲ୍ଲା ହେବାପରେ ତା ୦୨.୧୧.୨୦୦୦ରିଖ ଠାରୁ ଅନୁଗୁଳରେ ନୂତନ ଶିଳ୍ପକ୍ଷେତ୍ର ପ୍ରତିଷ୍ଠା ହେବାପରେ ଢେଙ୍କାନାଳ ଜିଲ୍ଲା ଶିଳ୍ପ କେନ୍ଦ୍ର କେବଳ ଢେଙ୍କାନାଳ ଜିଲ୍ଲା ପାଇଁ କାର୍ଯ୍ୟକଋ ଆସୁଛି। ଓଡିଶା ଶିଳ୍ପ ବିକାଶ ନିଗମ ଦ୍ଵାରା ପରିଚାଳିତ ପଞ୍ଚଗୋଟି ଶିଳ୍ପାଞ୍ଚଳ ଏହି ଜିଲ୍ଲାରେ ଅବସ୍ଥିତ। ଶିଳ୍ପର ବିକାଶ ପାଇଁ ଅନେକ ଯୋଜନା ଏହି ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଅଛି।

ହସ୍ତ ଶିଳ୍ପର ବିକାଶ ପାଇଁ ହସ୍ତଶିଳ୍ପ ଉଦ୍ଯୋଗ ସ୍ଥାପନ, ହସ୍ତଶିଳ୍ପ କାରିଗରମାନଙ୍କର ପୁନଃ ସଂସ୍ଥାପନ, ହସ୍ତ ଶିଳ୍ପ ପୁଞ୍ଜି (କ୍ଲଷ୍ଟର) ବିକାଶ କାର୍ଯ୍ୟକ୍ରମ କରାଯାଇ ପାରିଛି। କୃଷି ଓ ବନଜାତ ଦ୍ରବ୍ଯ ଭିତିକ ଅନେକ ଶିଳ୍ପ ମଧ୍ୟ ଏହି ଜିଲ୍ଲାରେ ଅବସ୍ଥିତ। ଅନେକ ଖଣିଖାଦାନ ମଧ୍ୟରୁ ଢେଙ୍କାନାଳରେ କ୍ରୋମଗ୍ରାନାଇଟ(ମୁଗୁନି) ପଥର ଭିତ୍ତିକ ଶିଳ୍ପ ଗଢି ଉଠିଛି। ଅନେକ ବୃହତ ଶିଳ୍ପ, ନୀଳାଚଳ ରିଫ୍ରାଟୋରି, ଉତ୍କଳ ଆଜବେଷ୍ଟେସ(ୟୁରୋ), ନବ ଭାରତ ଭେଞ୍ଚର ଲିଙ୍କ, ଏମ/ଏସ ଭୂଷଣ ଷ୍ଟୀଲ ଆଣ୍ଡ ପାୱାର, ଜି.ଏମ. ଆର ଏନର୍ଜି ଲିଃ ଏବଂ ଶକ୍ତି ସୁଗାର ଇତ୍ୟାଦି ଶିଳ୍ପାନୁଷ୍ଠାନ ଜିଲ୍ଲାର ଆର୍ଥିକ ଏବଂ ସାମାଜିକକ୍ଷେତ୍ରକୁ ଅଭିବୃଦ୍ଧି କରୁଅଛନ୍ତି।

ଶିଙ୍ଗ କାମ, କୋଟାକାମ, କାଠଖୋଦା କାମ, ପଥରଖୋଦା କାମ, ଆଦିବାସୀ ଅଳଙ୍କାର, ତନ୍ତବୁଣା କାମ, ଚାନ୍ଦି ଗହଣା, ପାଟ ମଠାର ଶାଢୀବୁଣେଇ କାମଆଦି ଅନେକ କ୍ଷେତ୍ରରେ ଉନ୍ନତି କରି ଜିଲ୍ଲାର ସୁନାମ ପ୍ରସାରିତ କରୁଅଛି।